Skip to main content

ସମବିଭାଜନ (Mitosis) || ଦଶମ ଶ୍ରେଣୀ (Class X) || Life Science Notes

 

କୋଷ ବିଭାଜନ

ଜୀବଜଗତରେ ମୁଖ୍ୟତଃ 2 ପ୍ରକାରର କୋଷ ବିଭାଜନ ଦେଖାଯାଏ, ଯଥା- 

1) ସମବିଭାଜନ ବା ସୂତ୍ରାୟନ ବା ମାଈଟୋସିସ (Mitosis)

2) ଅର୍ଦ୍ଧବିଭାଜନ ବା ଅର୍ଦ୍ଧାୟନ ବା ମିଓସିସ (Meiosis) 

ମାଈଟୋସିସ କାୟିକ କୋଷରେ ଏବଂ ଆଦି ଜାୟକ କୋଷରେ (ଯୁଗ୍ମକଜନନର ଆଦ୍ୟ ପର୍ଯ୍ୟାୟ) ସଂଗଠିତ ହେଉଥିବା ସ୍ଥଳେ ମିଓସିସ ଯୁଗ୍ମକ ସୃଷ୍ଟି ପାଇଁ ଉଦ୍ଧିଷ୍ଟ । 

1) ସମବିଭାଜନ ବା ସୂତ୍ରାୟନ ବା ମାଈଟୋସିସ (Mitosis)

ଜୀବକୋଷରେ ସମବିଭାଜନ ସାଧାରଣତଃ ଦୁଇଟି ପର୍ଯ୍ୟାୟରେ ହୋଇଥାଏ, ଯଥା-

1. ନ୍ୟଷ୍ଟି ବିଭାଜନ (Karyokinesis)

2. କୋଷଜୀବକର ବିଭାଜନ (Cytokinesis)

 1. ନ୍ୟଷ୍ଟି ବିଭାଜନ (Karyokinesis)

ଏହା ଏକ ଜଟିଳ ପ୍ରକ୍ରିୟା ଏବଂ ଏହାକୁ ଚାରୋଟି ଅବସ୍ଥାରେ ବର୍ଣ୍ଣନା କରାଯାଇପାରେ, ଯଥା- 
କ) ଆଦ୍ୟାବସ୍ଥା (Prophase)
ଖ) ମଧ୍ୟାବସ୍ଥା (Metaphase)
ଗ) ଉତ୍ତରାବସ୍ଥା (Anaphase)
ଘ) ଅନ୍ତିମାବସ୍ଥା (Telophase)

କ) ଆଦ୍ୟାବସ୍ଥା (Prophase)

  • ଆଦ୍ୟାବସ୍ଥାର ଆରମ୍ଭରେ କ୍ରୋମାଟିନ ଜାଳିକା (Chromatin reticulum) ଦେଖାଯାଏ । 
  • ଜାଳିକା କ୍ରମେ ସୁସ୍ପଷ୍ଟ ରୂପ ଧାରଣ କରି ପରିଶେଷରେ କେତୋଟି ନିର୍ଦ୍ଧିଷ୍ଟ ସଂଖ୍ୟକ ଗୁଣସୂତ୍ର ଭାବେ ଦୃଶ୍ୟମାନ ହୁଏ । 
  • ଆଦ୍ୟାବସ୍ଥାର ଶେଷବେଳକୁ ପ୍ରତ୍ୟକ ଗୁଣସୂତ୍ର ଅନୁଲମ୍ବଭାବେ ଦୁଇଟି (Chromatid) ଏକକ ଗୁଣସୂତ୍ରରେ ବିଭାଜିତ ହୋଇଥିବାର ଦେଖାଯାଏ କିନ୍ତୁ ଏହା ଗୁଣସୂତ୍ର କେନ୍ଦ୍ର ଠାରେ ଲାଗି ରହିଥାଏ । 
  • କ୍ରମେ ନିନ୍ୟଷ୍ଟି ଓ ନ୍ୟଷ୍ଟି ଝିଲ୍ଲୀ ଅଦୃଶ୍ଯ ହୋଇଯାଏ । 
  • କୋଷରେ ଥିବା କେନ୍ଦ୍ରପିଣ୍ଡ ବା ସେଣ୍ଟ୍ରୋଜୋମ (Centrosome) ଦୁଇଭାଗରେ ବିଭକ୍ତ ହୋଇ କୋଷର ଦୁଇ ବିପରୀତ ମେରୁ ଆଡକୁ ଗତି କରନ୍ତି ଓ  ସେଠାରେ ତାରକ (Aster) ଗଠନ କରନ୍ତି । 
  • କୋଷର ଦୁଇ ମେରୁ ଅଞ୍ଚଳରେ ତର୍କୁତନ୍ତୁ (Spindle Fibers) ଗଠନ ପ୍ରକ୍ରିୟା ଆରମ୍ଭ ହୁଏ । 

  ଖ) ମଧ୍ୟାବସ୍ଥା (Metaphase)

ମଧ୍ୟାବସ୍ଥାରେ ଗୁଣସୁତ୍ରଗୁଡିକ କୋଷର ମଧ୍ୟ ସମତଳ ଭାଗକୁ (Equatorial plane) ଚାଲିଆସନ୍ତି । 

ମେରୁସ୍ଥିତ ତର୍କୁତନ୍ତୁ କ୍ରମଶଃ ବର୍ଦ୍ଧିତ ହୋଇ ପ୍ରତ୍ୟକ ଗୁଣସୁତ୍ର କେନ୍ଦ୍ର ସହ ସଂଯୁକ୍ତ ହୁଏ । 

ଗ) ଉତ୍ତରାବସ୍ଥା (Anaphase) 

ଉତ୍ତରାବସ୍ଥାରେ ପ୍ରତ୍ୟକ ଗୁଣସୁତ୍ର କେନ୍ଦ୍ର ବିଭାଜିତ ହୁଏ । 
ତର୍କୁତନ୍ତୁ ସଙ୍କୁଚିତ ହେବାଫଳରେ ଗୁଣସୂତ୍ରର ପ୍ରତ୍ୟକ ଏକକ ସୂତ୍ର ଦୁଇ ବିପରୀତ ମେରୁ ଆଡକୁ ଗତି କରନ୍ତି । 
ଏହି ସମୟରେ ପ୍ରତ୍ୟକ ଏକକ ସୂତ୍ର କୋଣାକାର ବା 'V' ଆକାର ଧାରଣ କରେ । 

ଘ) ଅନ୍ତିମାବସ୍ଥା (Telophase)

ଅନ୍ତିମାବସ୍ଥାରେ ଅପତ୍ୟ ଗୁଣସୁତ୍ରଗୁଡିକ କୋଷର ଦୁଇ ମେରୁରେ ଜମା ହୁଅନ୍ତି । 
କ୍ରମଶଃ ପ୍ରତ୍ୟକ ଗୁଣସୁତ୍ରପୁଞ୍ଜର ଚତୁର୍ଦ୍ଦିଗରେ ନ୍ୟଷ୍ଟି ଝିଲ୍ଲୀ ସୃଷ୍ଟି ହୁଏ । 
ଗୁଣସୁତ୍ରଗୁଡିକ ସୂକ୍ଷ୍ମ ଅସ୍ପଷ୍ଟ ହେବା ଆରମ୍ଭ ହେବା ସହ ନିନ୍ୟଷ୍ଟି ମଧ୍ୟ ସୃଷ୍ଟି ହୁଏ । 

2. କୋଷଜୀବକର ବିଭାଜନ (Cytokinesis)

ଉଦ୍ଭିଦ ମାତୃକୋଷର ମଧ୍ୟ ଭାଗରେ ଏକ କୋଷପଟ୍ଟିକା (Cell plate) ଦେଖାଯାଏ । 

କ୍ରମେ ଏହା ସୁସ୍ପଷ୍ଟ ହୋଇ ମାତୃକୋଷର କୋଷଜୀବକ ଦୁଇ ଭାଗରେ ବିଭକ୍ତ ହେବା ସଙ୍ଗେ ସଙ୍ଗେ ମାତୃକୋଷଟି ଦୁଇଟି ସମରୂପୀ ଅପତ୍ୟ କୋଷରେ ପରିଣତ ହୁଏ । 

ପ୍ରାଣୀ ମାତୃକୋଷରେ କୋଷଜୀବକର ସଂକୋଚନ ସୂକ୍ଷ୍ମସୂତ୍ର (Micro filament) ସାହାଯ୍ୟରେ ହୋଇ ଦୁଇଟି ଅପତ୍ୟ କୋଷ ତିଆରି ହୁଏ ।