ମଣିଷର ରେଚନ ତନ୍ତ୍ର (Human Excretory System)
ମଣିଷର ରେଚନ ତନ୍ତ୍ର ବୃକକ (Kidney), ବୃକକୀୟ ଶିରା (Renal Vein), ବୃକକୀୟ ଧମନୀ (Renal Artery), ମୂତ୍ରସାରଣୀ (Ureter), ମୂତ୍ରାଶୟ (Bladder), ମୂତ୍ରମାର୍ଗ (Urethra) କୁ ନେଇ ଗଠିତ ।
ବୃକକ (Kidney):
ମଣିଷର ମଧ୍ୟଚ୍ଛଦାର ଠିକ ତଳକୁ ଉଦର ଗହ୍ଵର ଭିତରେ ମେରୁଦଣ୍ଡର ଉଭୟ ପାର୍ଶ୍ଵରେ ଦୁଇଟି ବୃକକ ରହିଛି । ବୃକକର ଆକୃତି ପ୍ରାୟ ଶିମ୍ବ ମଞ୍ଜି ପରି । ସୁସ୍ଥ ବୟଃପ୍ରାପ୍ତ ବ୍ୟକ୍ତିର ବୃକକର ଲମ୍ବ ପ୍ରାୟ 10 ରୁ 12 ସେ.ମି., ପ୍ରସ୍ଥ ପ୍ରାୟ 5 ରୁ 7 ସେ.ମି. ଓ ମୋଟେଇ ପ୍ରାୟ 3 ସେ.ମି. । ବୃକକର ଭିତର ପାଖରେ ଥିବା ଖାଲୁଆ ସ୍ଥାନଟିକୁ ହାଇଲମ (Hilum) କୁହାଯାଏ । ହାଇଲମ ମଧ୍ୟଦେଇ ବୃକକୀୟ ଶିରା, ଧମନୀ ଓ ମୂତ୍ରସାରଣୀ ବୃକକ ସହିତ ସଂଯୁକ୍ତ ହୋଇଥାଏ । ମୂତ୍ରସାରଣୀ ଦେଇ ବୃକକରୁ ମୂତ୍ର ମୂତ୍ରାଶୟକୁ ଆସେ ।
ବୃକକର ଗଠନ :
ପ୍ରତ୍ୟକ ବୃକକ ଭିତରେ 10 ଲକ୍ଷରୁ ଅଧିକ ଅତି ସୂକ୍ଷ୍ମ ବୃକକୀୟ ନଳିକା (Renal Tubules) ବା ମୂତ୍ରଜନ ନଳିକା (Uriniferous tubules) ବା ନେଫ୍ରନ୍ (Nephron) ରହିଛି ।
ପ୍ରତି ବୃକକୀୟ ନଳିକାର ଗୋଟିଏ ପାର୍ଶ୍ୱଟି କପ ବା ଗିନା ଆକୃତିର ହୋଇଥାଏ, ଏହି କପକୁ ବାଓମ୍ୟାନ୍ସ କ୍ୟାପସୁଲ (Bowman's capsule) କୁହାଯାଏ ।
ପ୍ରତି ନେଫ୍ରନ୍ ସହ ସଂଯୁକ୍ତ ହୋଇ ରହିଛି ବୃକକୀୟ ଧମନିର ଗୋଟିଏ ଲେଖାଏଁ ସୂକ୍ଷ୍ମ ଶାଖା ଯାହାକୁ ଏଫରେଣ୍ଟ (ଅନ୍ତର୍ବାହୀ) ଉପଧମନି (Afferent arteriole) କୁହାଯାଏ । ଏହା ନେଫ୍ରନ୍ ଭିତରେ ପ୍ରବେଶ କରି ଅନେକ ଅତି ସୂକ୍ଷ୍ମ ଶାଖାପ୍ରଶାଖା ବା କୈଶିକନଳୀରେ ପରିଣତ ହୋଇଥାଏ । ଏସବୁ କୈଶିକନଳୀପରସ୍ପର ସହ ପୁଣି ମିଶିଯିବା ଦ୍ୱାରା ଇଫରେଣ୍ଟ (ବହିର୍ବାହୀ) ଉପଧମନୀ (Efferent arteriole) ଜାତ ହୁଏ ।
ଗ୍ଲୋମେରୁଲସ ଓ ବାଓମ୍ୟାନ୍ସ କ୍ୟାପସୁଲ ମିଶି ମାଲପିଝିଆନ ପିଣ୍ଡ ବା ରିନାଲ କର୍ପସଲ ଗଠନ କରନ୍ତି ।
ବୃକକୀୟ ନଳିକାର ଶେଷ ମୁଣ୍ଡଟି ମୂତ୍ର ସଂଗ୍ରହନଳିକା ମଧ୍ୟରେ ପଶିଥାଏ ।
ମୂତ୍ରସଂଗ୍ରହ ନଳୀକାଗୁଡିକ ଏକାଠି ହୋଇ ବୃକକ ଭିତରେ ଥିବା ଏକ ଗହ୍ଵର, ଗବିଣୀ ବସ୍ତି (Pelvis of ureter) ଭିତରକୁ ଖୋଲିଥାନ୍ତି ।
ପ୍ରତ୍ୟକ ବୃକକରୁ ଗୋଟିଏ ଲେଖାଏଁ ମୂତ୍ରସାରଣୀ ବାହାରି ତଳିପେଟରେ ଥିବା ମୂତ୍ରାଶୟ (Urinary bladder) ଭିତରେ ପଶିଥାଏ ।
ମୂତ୍ରାଶୟରେ ମୂତ୍ର ସଞ୍ଚିତ ହୋଇ ରହେ ଓ ପରିସ୍ରା କଲାବେଳେ ତାହା ମୂତ୍ରମାର୍ଗ (Urethra) ଦେଇ ନିଷ୍କାସିତ ହୋଇଥାଏ ।