Skip to main content

ଅନ୍ତଃସ୍ରାବୀ ତନ୍ତ୍ର (Endocrine system) || ଦଶମ ଶ୍ରେଣୀ (Class X) || Life Science Notes

 

ଅନ୍ତଃସ୍ରାବୀ ତନ୍ତ୍ର (Endocrine system)

ସମସ୍ତ ଅନ୍ତଃସ୍ରାବୀ ଗ୍ରନ୍ଥିକୁ ନେଇ ଆମ ଶରୀରର "ଅନ୍ତଃସ୍ରାବୀ ତନ୍ତ୍ର" (Endocrine system) ଗଠିତ । 
ସ୍ନାୟୁତନ୍ତ୍ର ଓ ଅନ୍ତଃସ୍ରାବୀ ତନ୍ତ୍ର ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରନ୍ତି । ତେଣୁ ଏହାକୁ "ସ୍ନାୟୁ ଅନ୍ତଃସ୍ରାବୀ ତନ୍ତ୍ର" (Neuro-endocrine system) କୁହାଯାଏ । 

ମାନବ ଶରୀରରେ ଥିବା ବିଭିନ୍ନ ଅନ୍ତଃସ୍ରାବୀ ଗ୍ରନ୍ଥିର ଅବସ୍ଥିତି, କ୍ଷରିତ ହରମୋନ ଏବଂ ସେମାନଙ୍କ କାର୍ଯ୍ୟ :-

ହାଇପୋଥାଲାମସ୍ (Hypothalamus):

ଅଗ୍ରାମସ୍ତିଷ୍କରେ ଥିବା ଥଲାମସ୍ ନିମ୍ନଭାଗରେ ଏବଂ ପିଟୁଇଟାରି ଗ୍ରନ୍ଥିର ଉପରକୁ ହାଇପୋଥାଲାମସ୍ ଅବସ୍ଥିତ । 
 ହାଇପୋଥାଲାମସରୁ କେତେକ ରିଲିଜିଙ୍ଗ ହରମୋନ (Releasing hormone) ଏବଂ ଇନହିବିଟିଙ୍ଗ ହରମୋନ (Inhibiting hormone) କ୍ଷରିତ ହୁଏ । 
ଏହି ହରମୋନଗୁଡିକ ପିଟୁଇଟାରି ଗ୍ରନ୍ଥିର କ୍ଷରଣ କ୍ଷମତାକୁ ନିୟନ୍ତ୍ରଣ କରନ୍ତି । 

ପିଟୁଇଟାରି ଗ୍ରନ୍ଥି (Pituitary gland):

ପିଟୁଇଟାରି ଗ୍ରନ୍ଥି ହାଇପୋଥାଲାମସ ସହିତ ଏକ ଛୋଟ ବୃନ୍ତ(Stalk) ସହାଯ୍ୟରେ ଲାଗିରହିଥାଏ । 
ଏହି ଗ୍ରନ୍ଥି ଦୁଇଟି ପୃଥକ ଖଣ୍ଡକୁ ନେଇ ଗଠିତ, ଯଥା - 
(କ) ଏଡିନୋହାଇପୋଫାଇସିସ୍ (Adenohypophysis)
(ଖ) ନିଉରୋହାଇପୋଫାଇସିସ୍ (NeuroPhysics)

(କ) ଏଡିନୋହାଇପୋଫାଇସିସରୁ କ୍ଷରିତ ହରମୋନର ନାମ ଓ କାର୍ଯ୍ୟ:    

1. ଗ୍ରୋଥ ହରମୋନ (Growth Hormone-GH)

ଏହା ଶରୀରର ବୃଦ୍ଧି ନିୟନ୍ତ୍ରଣ କରେ । ବାଲ୍ୟାବସ୍ଥାରେ ଏହାର କ୍ଷରଣ କମ ହେଲେ ବ୍ୟକ୍ତିର ଶରୀର ବାମନପ୍ରାୟ ହୁଏ । ଏହାକୁ 'ବାମାନତା' (Dwarfism) କୁହାଯାଏ । କିନ୍ତୁ ଯଦି ଏହାର କ୍ଷରଣ ଅଧିକ ହୁଏ, ଅତ୍ୟଧିକ ବୃଦ୍ଧି ଘଟି ବ୍ୟକ୍ତି 8 ରୁ 9 ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ । ଏହାକୁ ଅତିକାୟତ୍ଵ (Gigantism) କୁହାଯାଏ । 

2. ପ୍ରୋଲାକ୍ଟିନ (Prolactin-PRL)

ଏହା ମାଆର ସ୍ତନ୍ୟଗ୍ରନ୍ଥି ଉପରେ ପ୍ରଭାବ ପକାଏ । ଫଳରେ ଶିଶୁ ପାଇଁ ସେଥିରେ କ୍ଷୀର ତିଆରି ହୁଏ । 

3. ଫଲିକଲ୍ ଷ୍ଟିମୁଲେଟିଙ୍ଗ ହରମୋନ (Follicle Stimulating Hormone-FSH)

ଏହି ହରମୋନ ଡିମ୍ବାଶୟ ପୁଟିକା (Ovarian follicle) ର ବୃଦ୍ଧି କରାଏ । 

4. ଲିଉଟିନାଇଜିଙ୍ଗ ହରମୋନ (Luteinizing Hormone-LH) 

ଏହା ଡିମ୍ବୋଦୟ (Ovulation) କରାଇ ଡିମ୍ବାଶୟରୁ ଡିମ୍ବାଣୁ ବାହାର କରିବାରେ ସହାୟକ ହୁଏ । 

5. ଥାଇରଏଡ ଷ୍ଟିମୁଲେଟିଙ୍ଗ ହରମୋନ (Thyroid Stimulating Hormone-TSH)

ଥାଇରଏଡ ଗ୍ରନ୍ଥିରୁ ଥାଇରକସିନ୍ (Thyroxin) ହରମୋନ କ୍ଷରଣକୁ ଏହା ନିୟନ୍ତ୍ରଣ କରେ । 

6. ଏଡ଼୍ରିର୍ନୋକର୍ଟିକୋଟ୍ରଫିକ ହରମୋନ୍ (Adrenocorticotrophic Hormone - ACTH) 

ଏଡ୍ରିନାଲ୍ ଗ୍ରନ୍ଥିର କ୍ଷରଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ । 

(ଖ) ନିଉରୋହାଇପୋଫାଇସିସରୁ କ୍ଷରିତ ହରମୋନର ନାମ ଓ କାର୍ଯ୍ୟ:

1. ଅକ୍ସିଟୋ ସିନ୍ (Oxytocin)

ବାଛୁରୀ ଚିରକୁ ଚୁଚୁମିଲେ ଗାଇର ପିଟୁଇଟାରିରୁ ଅକ୍ସିଟୋସିନ୍ ହରମୋନ କ୍ଷରିତ ହୋଇ ସ୍ତନ୍ୟଗ୍ରନ୍ଥି ଉପରେ ପ୍ରଭାବ ପକାଏ ଓ କ୍ଷୀର ଝରେ । 
ଅକ୍ସିଟୋସିନ୍ ପ୍ରସବ ସମୟରେ ଏହା ମାଆ ଗର୍ଭାଶୟ ପେଶୀ ଉପରେ ପ୍ରଭାବ ପକାଏ । ଗର୍ଭାଶୟର ସଂକୋଚନ ଫଳରେ ଶିଶୁ ଜନ୍ମ ହୁଏ । 

2. ଭାସୋପ୍ରେସିନ୍ (Vasopressin or Anti Diuretic Hormone-ADH)

ଏହି ହରମୋନ ପ୍ରଭାବରେ ବୃକକର ମୂତ୍ରଜନ ନଳିକାରୁ ଜଳ ପୁନଃଶୋଷିତ ହୁଏ । 
ଯଦି କୌଣସି କରଣବଶତଃ ଅଳ୍ପ ପରିମାଣରେ ଭାସୋପ୍ରେସିନ୍ କ୍ଷରିତ ହୁଏ, ତେବେ ସେହି ବ୍ୟକ୍ତି ଗୋଟିଏ ଦିନରେ ପାଖାପାଖି 20 ଲିଟର ପର୍ଯ୍ୟନ୍ତ ପରିସ୍ରା କରେ । ଏହି ଅବସ୍ଥାକୁ ଡ଼ାଇବେଟିସ ଇନସିପିଡସ୍ (Diabetes insipidus) ବା ବହୁମୂତ୍ର ରୋଗ କୁହାଯାଏ । 

ପିନିଆଲ ଗ୍ରନ୍ଥି (Pineal gland):

ପିନିଆଲ୍ ଗ୍ରନ୍ଥି ଅଗ୍ରମସ୍ତିଷ୍କର ଛାତରେ ରହିଛି । 
ପିନିଆଲ୍ ଗ୍ରନ୍ଥିର ଓଜନ ମାତ୍ର 150 ମିଲିଗ୍ରାମ ।
ପିନିଆଲ୍ ଗ୍ରନ୍ଥିରୁ ମେଲାଟୋନିନ୍ (Melatonin) ନାମକ ହରମୋନ୍‌ କ୍ଷରିତ ହୁଏ । ଏହାର ପ୍ରଭାବ ଯୁବକ୍ରାନ୍ତି, ଡିମ୍ବୋେତ୍ସର୍ଗ ବା ଡିମ୍ବୋେଦୟ ଓ ନିଦ୍ରା ଉପରେ ରହିଛି । 
ପିନିଆଲ୍ ଗ୍ରନ୍ଥିକୁ ଜୈବିକ ଘଡି’ (Biological clock) କୁହାଯାଏ ।  

ଥାଇରଏଡ ଗ୍ରନ୍ଥି (Thyroid gland):

ଥାଇରଏଡ୍ ଗ୍ରନ୍ଥି ବେକର ତଳ ଭାଗରେ, ଶ୍ଵାସନଳୀର ଉଭୟ ପଟରେ ଠିକ ସ୍ଵରପେଟିକାର ପଛକୁ ରହିଛି । 

ଥାଇରଏଡ୍ ଗ୍ରନ୍ଥିରୁ  ଥାଇରକ୍‌ସିନ୍ ହର୍‌ମୋନ୍‌ କ୍ଷରିତ ହୁଏ । 

ଥାଇରକ୍‌ସିନ୍ ହର୍‌ମୋନ୍‌ ଶରୀରର ବିଭିନ୍ନ କୋଷର ଅମ୍ଳଜାନ ବିନିଯୋଗ କ୍ଷମତା ବଢ଼ାଏ ।

ଥାଇରକ୍‌ସିନ୍ ହର୍‌ମୋନ୍‌ ବେଙ୍ଗଫୁଲାର ରୂପାନ୍ତରଣ (Metamorphosis) ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରେ । 

ପାରାଥାଇରଏଡ ଗ୍ରନ୍ଥି (Parathyroid gland):

ଥାଇରଏଡ୍ ଗ୍ରନ୍ଥି ଉପରେ 4 ଟି ପାରାଥାଇରଏଡ୍ ଗ୍ରନ୍ଥି ରହିଛି । 
ପାରାଥାଇରଏଡ୍ ଗ୍ରନ୍ଥିରୁ ପାରାଥୋରମୋନ୍ (Parathormone) କ୍ଷରିତ ହୁଏ ।
ପାରାଥୋରମୋନ୍ ରକ୍ତରେ କ୍ୟାଲ୍‌ସିୟମ୍‌ ଓ ଫସ୍‌ଫରସ୍ ପରିମାଣ ସ୍ଥିର ରଖିବାରେ ସାହାଯ୍ୟ କରେ । 

ଏଡ୍ରିନାଲ ଗ୍ରନ୍ଥି (Adrenal gland): 

ଏଡ୍ରିନାଲ ଗ୍ରନ୍ଥିରୁ  ଏଡ୍ରିନାଲିନ୍ (Adrenaline) ହରମୋନ୍‌ କ୍ଷରିତ ହୁଏ । 
ଆକସ୍ମିକ ଆଘାତ, ଭୟ, ଅବଶ ଓ ଉତ୍ତେଜିତ ଅବସ୍ଥାରେ ଏଡ୍ରିନାଲିନ୍ (Adrenaline) ହରମୋନ୍‌ କ୍ଷରିତ ହୁଏ । ତେଣୁ ଏହି ଗ୍ରନ୍ଥକୁ ‘ଆପଦକାଳୀନ ଗ୍ରନ୍ଥି’ (Emergency gland) କୁହାଯାଏ । 

ଅଗ୍ନ୍ୟାଶୟ (Pancreas): 

ଆମ ଶରୀରରେ ପାକସ୍ଥଳୀର ଠିକ୍ ତଳକୁ ଗ୍ରହଣୀଫାସ (Duodenal loop) ମଧ୍ୟରେ ଗୋଟିଏ ଅଗ୍ନ୍ୟାଶୟ ରହିଛି । 
ଅଗ୍ନ୍ୟାଶୟକୁ  ଏକ ମିଶ୍ରିତ ଗ୍ରନ୍ଥି (Mixed gland) କୁହାଯାଏ କାରଣ ଏଥୁରୁ ଉଭୟ ଏନ୍‌ଜାଇମ୍ ଓ ହରମୋନ୍ କ୍ଷରିତ ହୋଇଥାଏ । 
ଅଗ୍ନ୍ୟାଶୟର ହରମୋନ କ୍ଷରଣ କରୁଥିବା ଅଂଶକୁ ଆଇଲେଟ୍‌ସ୍ ଅଫ୍ ଲାଙ୍ଗରହାନ୍‌ସ୍ (Islets of Langerhans) କୁହାଯାଏ । 
ଅଗ୍ନ୍ୟାଶୟର ଆଇଲେଟ୍‌ସ୍ ଅଫ୍ ଲାଙ୍ଗରହାନ୍‌ସ୍ (Islets of Langerhans)ରେ ଆଲ୍‌ଫା-କୋଷ (a-cells), ବିଟା-କୋଷ (b-cells) ଓ ଡେଲଟା କୋଷ (δ-cells) ପରି ସ୍ରାବୀକୋଷ (Secretory cells) ମାନ ରହିଛି । 
ଆଲଫା-କୋଷରୁ ଗ୍ଲୁକାଗନ୍ (Glucagon), ବିଟା-କୋଷରୁ ଇନ୍‌ସୁଲିନ୍‌ (Insulin) ଓ ଡେଲଟା-କୋଷରୁ ସୋମାଟୋଷ୍ଟାଟିନ୍ (Somatostatin) ହରମୋନ୍‌ କ୍ଷରିତ ହୁଏ । 
ଇନ୍‌ସୁଲିନ୍ ଶରୀରରେ ଶର୍କରା (Glucose) ପରିମାଣ ସ୍ଥିର ରଖେ । 
ଇନ୍‌ସୁଲିନ୍‌ର ଅଭାବରେ ରକ୍ତରେ ଶର୍କରା ପରିମାଣ ବଢ଼ି ମଧୁମେହ ରୋଗ (ଡାଇବେଟିସ୍ ମେଲିଟସ୍) ହୁଏ । 

ଶୁକ୍ରାଶୟ (Testis): 

ଆମ ଶରୀରର ଶୁକ୍ରାଶୟ ଥଳି (Scrotal sac) ମଧ୍ୟରେ ଦୁଇଟି ଶୁକ୍ରାଶୟ (Testis, plural - Testes) ରହିଛି । 
ଶୁକ୍ରାଶୟ ମଧ୍ୟରେ ଥିବା ଲେଡ଼ିଗ୍‌ କୋଷ (Leydig cells)ରୁ ଟେଷ୍ଟୋଷ୍ଟିରନ୍ କ୍ଷରିତ ହୁଏ ।
ଟେଷ୍ଟୋଷ୍ଟିରନ୍ ହରମୋନ୍‌ ପ୍ରଭାବରେ ବାଳକ ଶରୀରରେ ପୁରୁଷ ଗୌଣ ଲିଙ୍ଗୀୟ ଲକ୍ଷଣ (Male secondary sexual character) ମାନ ଦେଖାଯାଏ (ଯଥା - ନିଶା ଓ ଦାଢି ଉଠିବା ଏବଂ ସ୍ଵର ପାକଳ ହେବା) । 
ଟେଷ୍ଟୋଷ୍ଟିରନ୍ ଶୁକ୍ରାଣୁ ଉତ୍ପତ୍ତି (Spermatogenesis)ରେ ମଧ୍ୟ ସହାୟକ ହୁଏ । 
ଟେଷ୍ଟୋଷ୍ଟିରନ୍ ହରମୋନ୍‌ର ଅଭାବରେ ନପୁଂସକତା ଦେଖାଯାଏ ।

ଡିମ୍ବାଶୟ (Ovary):

ସ୍ତ୍ରୀ ଶରୀର ଉଦର ଗହ୍ଵରର ନିମ୍ନ ଅଂଶରେ ଏକ ଯୋଡ଼ା ଡିମ୍ବାଶୟ ରହିଛି । 
ଡିମ୍ବାଶୟରୁ ଇଷ୍ଟ୍ରୋଜେନ୍ (Estrogen) ଓ ପ୍ରୋଜେଷ୍ଟିରନ୍ (Progesterone) ହର୍‌ମୋନ କ୍ଷରିତ ହୁଏ । 
ଇଷ୍ଟ୍ରୋଜେନ୍ ହରମୋନ୍‌ର ପ୍ରଭାବରେ ବାଳିକାମାନଙ୍କ ଶରୀରରେ ସ୍ତ୍ରୀ-ଗୌଣ ଲିଙ୍ଗୀୟ ଲକ୍ଷଣମାନ ଦେଖାଯାଏ । 
ପ୍ରୋଜେଷ୍ଟିରନ୍ ହରମୋନ୍ ଡିମ୍ବୋଦୟ ପରେ ଡିମ୍ବାଶୟରୁ କ୍ଷରିତ ହୁଏ । 
ଗର୍ଭଧାରଣରେ (Pregnancy) ଏହାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବାରୁ ଏହାକୁ ''ଗର୍ଭାବସ୍ଥାର ହରମୋନ୍’’ କୁହାଯାଏ । 

ଭ୍ରୂଣବନ୍ଧ (Placenta):

ଭୂଣବନ୍ଧ ମାଆ ଓ ଗର୍ଭାଶୟସ୍ଥ ଶିଶୁ ମଧ୍ୟରେ ଥିବା ଏକ ଜୈବ ସଂଯୋଗ । ଏହା ଏକ ସାମୟିକ ଅନ୍ତଃସ୍ରାବୀ ଗ୍ରନ୍ଥି । 
ଭୂଣବନ୍ଧରୁ ହ୍ୟୁମାନ୍ କୋରିଓନିକ୍ ଗୋନାଡୋଟ୍ରପିକ୍ ହରମୋନ୍ (Human Chorionic Gonadotropin (HCG) Hormone) କ୍ଷାରିତ ହୋଇଥାଏ । 
ହ୍ୟୁମାନ୍ କୋରିଓନିକ୍ ଗୋନାଡୋଟ୍ରପିକ୍ ହରମୋନ୍ (Human Chorionic Gonadotropin (HCG) Hormone)ର ଉପସ୍ଥିତି ମହିଳା ଗର୍ଭଧାରଣର ସୂଚନା ଦିଏ ।
ଗର୍ଭବତୀ ମହିଳାଙ୍କର ମୂତ୍ର ସହିତ ମିଶି ହ୍ୟୁମାନ୍ କୋରିଓନିକ୍ ଗୋନାଡୋଟ୍ରପିକ୍ ହରମୋନ୍ ଶରୀର ବାହାରକୁ ଆସେ । 
ତେଣୁ ଡାକ୍ତରମାନେ ମୂତ୍ରକୁ ପରୀକ୍ଷା କରି ଏହି ହରମୋନର ଉପସ୍ଥିତିରୁ ଜଣେ ମହିଳା ଗର୍ଭଧାରଣ କରିଛି କି ନାହିଁ ତାହା ଜାଣିହେବ । ଏହା ଗର୍ଭସଂଚାରର ନିର୍ଣ୍ଣାୟନ ପରୀକ୍ଷା (Pregnancy Test) ।