Skip to main content

ଉଦ୍ଭିଦରେ ନିୟନ୍ତ୍ରଣ ଓ ସମନ୍ଵୟ || ଦଶମ ଶ୍ରେଣୀ (Class X) || Life Science Notes

 

ପ୍ରତ୍ୟକ ଜୀବ ପରିବେଶର ଉଦ୍ଦୀପନା (Stimulus) ଅନୁସାରେ ଆବଶ୍ୟକ ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ଅନୁକ୍ରିୟା (Response) ପ୍ରଦର୍ଶନ କରି ନିଜର ସ୍ଥିତି ନିଶ୍ଚିତ କରିଥାଏ ।ଏଥିପାଇଁ ନିୟନ୍ତ୍ରଣ ଏବଂ ବିଭିନ୍ନ କ୍ରିୟା, ପ୍ରକ୍ରିୟା ଓ ପ୍ରତିକ୍ରିୟା ଭିତରେ ସମନ୍ଵୟ ରକ୍ଷା କରିଥାଏ । 


ଉଦ୍ଭିଦରେ ନିୟନ୍ତ୍ରଣ ଓ ସମନ୍ଵୟ ପ୍ରକ୍ରିୟା ରାସାୟନିକ ପଦ୍ଧତିରେ ହୋଇଥାଏ । କିନ୍ତୁ ପ୍ରାଣୀମାନଙ୍କ ଶରୀରରେ ଉଭୟ ରାସାୟନିକ ଓ ସ୍ନାୟବିକ ପଦ୍ଧତିର ଭୂମିକା ରହିଛି । 


ଉଦ୍ଭିଦରେ ନିୟନ୍ତ୍ରଣ ଓ ସମନ୍ଵୟ :

ଉଦ୍ଭିଦରେ ପ୍ରାଣୀମାନଙ୍କ ପରି କୌଣସି ସ୍ନାୟବିକ ତନ୍ତ୍ର ନଥାଏ , ତେଣୁ କେବଳ ଜୈବ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ଉଦ୍ଭିଦ ନିଜ ଶରୀରରେ ବାହ୍ୟ ଉଦ୍ଦୀପନାର ଅନୁକ୍ରିୟା ପ୍ରକାଶ କରିଥାଏ ।  

ଏହି ଜୈବ ରାସାୟନିକ ପଦାର୍ଥ ହେଉଛି ଉଦ୍ଭିଦ ହରମୋନ୍ ।  

ପ୍ରାଣୀ ଶରୀରରେ ଉଦ୍ଦୀପନାର ପ୍ରତିକ୍ରିୟା ପାଇଁ ସ୍ନାୟୁ ତନ୍ତ୍ର ଥିବାରୁ ତତକ୍ଷଣାତ୍ କାର୍ଯ୍ୟକାରୀ ହେଉଥିବା ସ୍ଥଳେ ଉଦ୍ଭିଦରେ ହରମୋନ୍ ଦ୍ୱାରା ଧୀର ଗତିରେ ତାହା ସମ୍ପାଦିତ ହୁଏ ।  

ଉଦ୍ଭିଦ ହରମୋନ୍ :

ଉଦ୍ଭିଦରେ ଥିବା ହରମୋନ୍‌କୁ ଫାଇଟୋହରମୋନ୍ (Phytohormone) କୁହାଯାଏ । 
ଏହା ମୁଖ୍ୟତଃ ପାଞ୍ଚ ପ୍ରକାରର, ଯଥା- ଅକ୍ସିନ୍ (Auxin), ଜିବରେଲିନ୍ (Gibberellin), ସାଇଟୋକାଇନିନ୍ (Cytokinin), ଏଥିଲିନ୍  (Ethylene) ଏବଂ ଆବସିସିକ୍ ଏସିଡ୍ (Abscisic acid) 

ଉଦ୍ଭଦ ହରମୋନ୍ ଦ୍ଵାରା ନିୟନ୍ତ୍ରଣ :

ବାହ୍ୟ ଉଦ୍ଦୀପନା ଉଦ୍ଭିଦର କାଣ୍ଡ, ଚେର ଓ ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟି କରିଥାନ୍ତି। ଫଳତଃ ସେ ସମସ୍ତ ସ୍ଥାନରେ ହରମୋନ୍‌ କ୍ଷରଣ ବୃଦ୍ଧିପାଏ। ସେହି ହରମୋନ୍ ହିଁ ଉଭିଦର ବୃଦ୍ଧି ଓ ବିକାଶ ସହ ବିଭିନ୍ନ ଜୈବିକ କ୍ରିୟା ଯଥା: କାଣ୍ଡ, ମୂଳ ଓ ପତ୍ରର ବୃଦ୍ଧି, ଉଦ୍ଭଦରେ ଫୁଲ ଧରିବା, ଫଳ ପାଚିବା ଇତ୍ୟାଦିକୁ ନିୟନ୍ତ୍ରଣ କରିଥାଏ ।