ଫାଇଟୋହରମୋନ୍ର କାର୍ଯ୍ୟକାରିତା
ଫାଇଟୋହରମୋନ୍ ଉଦ୍ଭିଦର
ବିଭିନ୍ନ ଜୈବ ପ୍ରକ୍ରିୟାର ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷାକରିବା ସହିତ
ମୁଖ୍ୟତଃ ଦୁଇ ପ୍ରକାର କାର୍ଯ୍ୟ କରିଥାଏ,
ଯଥା- ବୃଦ୍ଧି ନିୟନ୍ତ୍ରଣ
ଓ ଚଳନଶକ୍ତିର ନିୟନ୍ତ୍ରଣ ।
ବୃଦ୍ଧି ନିୟନ୍ତ୍ରଣ :
ଫାଇଟୋହର୍ମୋନ୍ ମଧ୍ୟରୁ ଅକ୍ସିନ୍, ଜିବରେଲିନ୍ ଓ ସାଇଟୋକାଇନିନ୍ ପ୍ରଭୃତି ବୃଦ୍ଧି ନିୟନ୍ତ୍ରଣ କରିଥାନ୍ତି ।
ଜିବରେଲିନ୍, ଅକ୍ସନ୍ ପରି ଶାଖା ଓ କାଣ୍ଡର ବୃଦ୍ଧିରେ ସହାୟକ ହୋଇଥାଏ। ଅନ୍ୟପକ୍ଷରେ ସାଇଟୋକାଇନିନ୍ କୋଷ ବିଭାଜନର ହାର ବୃଦ୍ଧି କରିଥାଏ ।
ଉଦ୍ଭିଦରେ ମଧ୍ୟ କେତେକ ବୃଦ୍ଧି ହ୍ରାସକ (Growth retardant) ହରମୋନ୍ ଥାଆନ୍ତି । ଆବସିସିକ୍ ଏସିଡ୍ ଓ ଏଥିଲିନ୍ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ।
ଏହି ହରମୋନ୍ଗୁଡ଼ିକ ସାଧାରଣତଃ ଉଦ୍ଭିଦର ବୃଦ୍ଧି ହ୍ରାସ କରିବା, ପତ୍ର, ଫୁଲ, ଫଳ ଝଡାଇବା ସହିତ ଉଦ୍ଭିଦର ବାର୍ଦ୍ଧକ୍ୟ ତ୍ଵରାନ୍ଵିତ କରିଥାନ୍ତି ।
ଚଳନଶକ୍ତିର ନିୟନ୍ତ୍ରଣ :
ଉଦ୍ଭିଦରେ ଚଳନ ସାଧାରଣତଃ ଦୁଇ ପ୍ରକାର ଯଥା :- ବୃଦ୍ଧି ନିର୍ଭରଶୀଳ ଚଳନ ଏବଂ ବୃଦ୍ଧି ସ୍ଵତନ୍ତ୍ର ଚଳନ
ବୃଦ୍ଧି ନିର୍ଭରଶୀଳ ଚଳନ :
ବାହ୍ୟ ଉଦ୍ଦୀପନା ଯଥା ଆଲୋକ, ମାଧ୍ୟାକର୍ଷଣ ବଳ
ପ୍ରଭାବରେ ଉଦ୍ଭିଦର ବୃଦ୍ଧି ଜନିତ ଚଳନକୁ ଅନୁବର୍ତ୍ତନ (Tropism) ବା ଅନୁବର୍ତ୍ତନୀୟ
ଚଳନ (Tropic movement) କୁହାଯାଏ ।
ଆଲୋକ ପ୍ରଭାବରେ ଉଦ୍ଭିଦର
ବୃଦ୍ଧି ଜନିତ ଚଳନକୁ ଆଲୋକାନୁବର୍ତ୍ତନ କୁହାଯାଏ ।
ମାଧ୍ୟାକର୍ଷଣ ବଳ
ପ୍ରଭାବରେ ଉଦ୍ଭିଦର ବୃଦ୍ଧି ଜନିତ ଚଳନକୁ ଜ୍ୟାନୁବର୍ତ୍ତନ କୁହାଯାଏ ।
ଆଲୋକାନୁବର୍ତ୍ତନ :
ଉଦ୍ଭିଦର କାଣ୍ଡ
ଆଲୋକ ଆଡକୁ ଗତି କରିଥାଏ। ଏହାକୁ ଅନୁକୂଳ ଆଲୋକାନୁବର୍ତ୍ତନ (Positive phototropism) କୁହାଯାଏ ।
କିନ୍ତୁ ଚେର ଆଲୋକର ବିପରୀତ ଦିଗକୁ ଗତି କରେ ଅର୍ଥାତ୍ ଆଲୋକ ଠାରୁ ଦୂରରେ ରହେ । ଏହାକୁ ପ୍ରତିକୂଳ ଆଲୋକାନୁବର୍ତ୍ତନ (Negative phototropism) କୁହାଯାଏ ।
ଜ୍ୟାନୁବର୍ତ୍ତନ :
ମାଧ୍ୟାକର୍ଷଣ ବଳ ଯୋଗୁଁ
ଉଦ୍ଭିଦର ଚେର ଓ ମୂଳ ପୃଥିବୀର କେନ୍ଦ୍ର ଆଡକୁ ଆକର୍ଷିତ ହୋଇଥାନ୍ତି । ଏହାକୁ ଅନୁକୂଳ ଜ୍ୟାନୁବର୍ତ୍ତନ
(Positive geotropism) କୁହାଯାଏ ।
କିନ୍ତୁ ଉଦ୍ଭିଦର
କାଣ୍ଡ ତାହାର ବିପରୀତ ଦିଗକୁ ଗତି କରେ। ଏହାକୁ ପ୍ରତିକୂଳ ଜ୍ୟାନୁବର୍ତ୍ତନ (Negative geotropism) କୁହାଯାଏ ।
ବୃଦ୍ଧି ସ୍ଵତନ୍ତ୍ର ଚଳନ :
ସ୍ପର୍ଶ ଜନିତ ବାହ୍ୟ
ଉଦ୍ଦୀପନା ଯୋଗୁଁ ଉଦ୍ଭିଦ କୋଷରେ ଦ୍ରୁତ ରାସାୟନିକ ପରିବର୍ତ୍ତିତ ଗତିକୁ ଅନ୍ତର୍କୁଞ୍ଚନ ଗତି
କୁହାଯାଏ ।
ଗୋଟିଏ ଲାଜକୁଳୀ (Touch
me not) ଲତା ଡାଳ ବା ପତ୍ରକୁ ଛୁଇଁ
ଦେବା ମାତ୍ରେ ତାହାର ପତ୍ରଗୁଡିକ ସଂକୁଚିତ ହୋଇ ଝାଉଁଳିପଡ଼େ । ଏଥିପାଇଁ ଉଦ୍ଭିଦଟିରେ
ଛୁଇଁଥିବା ସ୍ଥାନର କୋଷରୁ ଅନ୍ୟ ଗୋଟିଏ କୋଷକୁ ରସସ୍ପୀତି ଦ୍ୱାରା ସମ୍ବାଦ ପ୍ରେରିତ ହୁଏ।
କ୍ରମଶଃ ଅନ୍ୟ ପତ୍ରଗୁଡିକରେ ସଂକୋଚନ ଜନିତ ରାସାୟନିକ ଗତି ପ୍ରବେଶ କରେ ଓ ସେଗୁଡିକ ଝାଉଁଳି ପଡେ
।