ରେଚନ :
ଶରୀରରେ ହେଉଥିବା ବିଭିନ୍ନ ଚୟାପଚୟ ପ୍ରକ୍ରିୟାରୁ ଜାତ ହେଉଥିବା ବର୍ଜ୍ୟବସ୍ତୁ (Waste product) ଶରୀର ପାଇଁ ଅଦରକାରୀ ଓ ହାନିକାରକ । ଏଣୁ ଶରୀରରେ ଥିବା ବିଶେଷ ବ୍ୟବସ୍ଥା ଏହି ବର୍ଜ୍ୟବସ୍ତୁଗୁଡ଼ିକୁ ନିଷ୍କାସିତ କରି ଶରୀର ଭିତର ପରିବେଶକୁ ପ୍ରଦୂଷଣମୁକ୍ତ ରଖେ । ଫଳରେ କୋଷରେ ହେଉଥିବା ବିଭିନ୍ନ ଜୈବରାସାୟନିକ କାର୍ଯ୍ୟକଳାପର ସନ୍ତୁଳନ ବଜାୟ ରହେ ଓ ଶରୀର ସୁସ୍ଥ ରହେ । ଏହି ପ୍ରକ୍ରିୟାକୁ ରେଚନ (Excretion) କୁହାଯାଏ ।
ପ୍ରାଣୀରେ ରେଚନ :
ଶରୀରରେ ପୃଷ୍ଟିସାର ଚୟାପଚୟ ଫଳରେ ଏମୋନିଆ ନିର୍ଗତ ହୋଇଥାଏ । ଏମୋନିଆ ଜଳରେ ଆତିମାତ୍ରାରେ ଦ୍ରବଣୀୟ । ଜଳଚର ପ୍ରାଣୀ ଶରୀରରୁ ଉତ୍ପନ୍ନ ହେଉଥିବା ଏମୋନିଆକୁ ବିସରଣ ପ୍ରକ୍ରିୟା ଦ୍ୱାରା ସିଧାସଳଖ ଜଳୀୟ ପରିବେଶକୁ ନିଷ୍କାସିତ କରିଥାନ୍ତି ।
ସମସ୍ତ ସ୍ତନ୍ୟପାୟୀ, ଉଭୟଚର ଓ ମାଛ ଜାତୀୟ ପ୍ରାଣୀ ଶରୀରରେ ଉତ୍ପନ୍ନ ଏମୋନିଆ, ଯକୃତରେ ଅଙ୍ଗାରକାମ୍ଳ ସହ ରାସାୟନିକ ସଂଯୋଗ ହୋଇ ୟୁରିଆ ଉତ୍ପନ୍ନ ହୋଇଥାଏ । ୟୁରିଆ ଜଳରେ ଦ୍ରବଣୀୟ, ତେଣୁ ରକ୍ତରେ ମିଶି ଏହା ବୃକକରେ ପହଞ୍ଚିଥାଏ । ବୃକକରେ ରକ୍ତରୁ ୟୁରିଆ ଅଲଗା ହୁଏ ଓ ଜଳରେ ଦ୍ରବୀଭୂତ ହୋଇ ମୂତ୍ର ସହ ଶରୀରରୁ ବାହାରିଯାଏ ।
ପକ୍ଷୀ, ସରୀସୃପ ଓ ପତଙ୍ଗ ଜାତୀୟ ପ୍ରାଣୀ ଶରୀରରେ ଉତ୍ପନ୍ନ ଏମୋନିଆରୁ ୟୁରିକ୍ ଏସିଡ ତିଆରି ହୋଇଥାଏ । ୟୁରିକ୍ ଏସିଡ ଜଳରେ ପ୍ରାୟ ଅଦ୍ରବଣୀୟ । ତେଣୁ ମୂତ୍ର ତିଆରି ପାରେ ଏହା ଦ୍ରବଣରୁ ସହଜରେ ଅଲଗା ହୋଇଯାଏ । ଦ୍ରବଣରେ ଥିବା ଜଳ ରକ୍ତ ଭିତରକୁ ପୁନର୍ବାର ଶୋଷିତ ହୋଇ ଚାଲିଯାଏ । ଏଣୁ ପକ୍ଷୀ, ସରୀସୃପ ଓ ପତଙ୍ଗ ଆଦି ପ୍ରାଣୀ ରେଚନ ପ୍ରକ୍ରିୟାରେ ଅଧିକ ଜଳ କ୍ଷୟ କରନ୍ତି ନାହିଁ । ୟୁରିକ୍ ଏସିଡ ମଳ ସହ ନିଷ୍କାସିତ ହୋଇଥାଏ ।
ଏମିବା ପରି ଏକକୋଷୀ ପ୍ରାଣୀମାନଙ୍କର ରେଚନ ପ୍ରକ୍ରିୟା ପ୍ଲାଜମା ଝିଲ୍ଲୀ ଓ କିଛି ପରିମାଣରେ ସଙ୍କୋଚିକିଧାନୀ (Contractive vacuole) ଦ୍ୱାରା ସମ୍ପାଦିତ ହୋଇଥାଏ ।
ସ୍ପଞ୍ଜ, ହାଇଡ୍ରା ପରି ନିମ୍ନ ବର୍ଗର ପ୍ରାଣୀମାନଙ୍କ ନିର୍ଦ୍ଧିଷ୍ଟ ରେଚନ ଅଙ୍ଗ ନାହିଁ ।
ଚେପଟା କୃମିମାନଙ୍କଠାରେ ଶିଖା କୋଷ (Flame cells) ରେଚନ ଅଙ୍ଗଭାବେ କାର୍ଯ୍ୟ କରିଥାଏ ।
ଜିଆ, ଜୋକ ପରି ପ୍ରାଣୀମାନଙ୍କରେ ନେଫ୍ରିଡିଆ (Nephridia) ରେଚନ ଅଙ୍ଗଭାବେ କାର୍ଯ୍ୟ କରିଥାଏ ।
ଝିଣ୍ଟିକା ଆଦି ପତଙ୍ଗରେ ମାଲପିଝିଆନ ନଳିକା (Malpighian tubules) ରେଚନ ଅଙ୍ଗଭାବେ କାର୍ଯ୍ୟ କରିଥାଏ ।