Skip to main content

ମଣିଷରେ ନିୟନ୍ତ୍ରଣ ଓ ସମନ୍ଵୟ || ଦଶମ ଶ୍ରେଣୀ (Class X) || Life Science Notes


ମଣିଷରେ ନିୟନ୍ତ୍ରଣ ଓ ସମନ୍ଵୟ

ସ୍ନାୟୁ ଓ ସଂବେଦକ  ଅଙ୍ଗକୁ ନେଇ ସ୍ନାୟୁତନ୍ତ୍ର (nervous system) ଗଠିତ । 

ଖାଦ୍ୟ ଗ୍ରହଣ ପ୍ରାଣୀ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ, କିନ୍ତୁ ଅଖାଦ୍ୟକୁ ଚିହ୍ନିବା ତା’ଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ । ସେଥିପାଇଁ ଜୈବିକ ବିବର୍ତ୍ତନରେ ସ୍ନାୟୁତନ୍ତ୍ରର ମୁଖ୍ୟ ଅଙ୍ଗ ସବୁ ପ୍ରାଣୀର ପାଟି ପାଖାପାଖି ରହିଛି । 

ଭ୍ରୂଣ ଅବସ୍ଥାରେ ମସ୍ତିଷ୍କ ତିନୋଟି ପ୍ରମୁଖ ଭାଗରେ ବିଭକ୍ତ ଯଥା  - ଅଗ୍ରମସ୍ତିଷ୍କ , ମଧ୍ୟମସ୍ତିଷ୍କ ଓ ପଶ୍ଚମସ୍ତିଷ୍କ

କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ମସ୍ତିଷ୍କ ଓ ସୁଷୁମ୍ନାକାଣ୍ଡକୁ ନେଇ ଗଠିତ ।

ମସ୍ତିଷ୍କ : 

ମସ୍ତିଷ୍କ ଏକ ଶକ୍ତ ଖପୁରି (Skull) ଭିତରେ ସୁରକ୍ଷିତ ହୋଇ ରହିଛି । 

ମସ୍ତିଷ୍କ ଉପରେ ଥିବା ବାହ୍ୟ ଆବରଣକୁ ମେନିଞ୍ଜେସ୍ (Meninges) କୁହାଯାଏ । 

ମସ୍ତିଷ୍କ ଭିତର ଫମ୍ପା ଅଂଶଗୁଡ଼ିକୁ ମସ୍ତିଷ୍କର ନିଳୟ (Ventricles of brain) କୁହାଯାଏ । 

ମସ୍ତିଷ୍କ ଚାରିପଟେ ଏବଂ ଏହାର ନିଳୟ ଭିତରେ ଥିବା ତରଳ ପଦାର୍ଥକୁ ମସ୍ତିଷ୍କ-ମେରୁ ରସ ବା ସେରିବ୍ରୋସ୍ପାଇନାଲ୍ ଦ୍ରବ (Cerebrospinal fluid) କୁହାଯାଏ । 

ମସ୍ତିଷ୍କ-ମେରୁ ରସ ବା ସେରିବ୍ରୋସ୍ପାଇନାଲ୍ ଦ୍ରବ ମସ୍ତିଷ୍କକୁ ବାୟୁମଣ୍ଡଳର ଚାପରୁ ରକ୍ଷାକରେ,ଏଥିସହିତ ଏହା ମଧ୍ୟଦେଇ ମସ୍ତିଷ୍କ ଖାଦ୍ୟ ଓ ଅମ୍ଳଜାନ ପାଏ ଏବଂ ମସ୍ତିଷ୍କରୁ ନିର୍ଗତ ବର୍ଜ୍ୟବସ୍ତୁ ଏହା ବାଟଦେଇ ନିଷ୍କାସିତ ହୁଏ । 

ଗୋଟିଏ ନବଜାତ ଶିଶୁର ମସ୍ତିଷ୍କର ଓଜନ ପ୍ରାୟ 400 ଗ୍ରାମ୍ ହୋଇଥିବା ବେଳେ ଜଣେ ବୟଃପ୍ରାପ୍ତ ବ୍ୟକ୍ତିର ମସ୍ତିଷ୍କ ଓଜନ ପ୍ରାୟ 1500 ଗ୍ରାମ୍ ଅଟେ । 

ପ୍ରତି ମିନିଟ୍‌ରେ ମସ୍ତିଷ୍କ ମଧ୍ୟକୁ ପ୍ରାୟ 750 ମିଲି ଲି. ରକ୍ତ ପ୍ରବାହିତ ହୁଏ । 

ମସ୍ତିସ୍କର ବିଭିନ୍ନ ଅଂଶ :

ମସ୍ତିଷ୍କ ତିନି ଭାଗରେ ବିଭକ୍ତ, ଯଥା- (କ) ଅଗ୍ରମସ୍ତିଷ୍କ, (ଖ) ମଧ୍ୟମସ୍ତିଷ୍କ ଓ (ଗ) ପଶ୍ଚମସ୍ତିଷ୍କ 

(କ) ଅଗ୍ରମସ୍ତିଷ୍କ :

ଅଗ୍ରମସ୍ତିଷ୍କକୁ ତିନି ଭାଗରେ ବିଭକ୍ତ କରାଯାଇପାରେ ଯଥା- ଘ୍ରାଣ ପାଳି, ପ୍ରମସ୍ତିଷ୍କ ଓ ପଶ୍ଚଅଗ୍ରମସ୍ତିଷ୍କ
ଘ୍ରାଣପାଳି ମନୁଷ୍ୟଠାରେ ଅତି କ୍ଷୀଣଭାବେ ଥିବାରୁ ମନୁଷ୍ୟର ଘ୍ରାଣଶକ୍ତି ଦୁର୍ବଳ । କିନ୍ତୁ ପଶୁମାନଙ୍କର ଘ୍ରାଣପାଳି ଉନ୍ନତ, ତେଣୁ ଘ୍ରାଣ ଶକ୍ତି ପ୍ରଖର । 
ପ୍ରମସ୍ତିଷ୍କ ମସ୍ତିଷ୍କର ସବୁଠାରୁ ବଡ଼ ଅଂଶ । 
ଏହା ସମାନ ଆକାରରେ ଡାହାଣପାଳି ଓ ବାମପାଳି ଭାବରେ ବିଭକ୍ତ । ଏହାର ଉପରିଭାଗ ଭାଙ୍ଗଯୁକ୍ତ । ଆମର ସ୍ମରଣ ଶକ୍ତି ଏହି ଭାଙ୍ଗ ଉପରେ ନିର୍ଭର କରିଥାଏ । 
ପ୍ରମସ୍ତିଷ୍କ କୌଣସି ଘଟନା ବିଷୟରେ ଶୁଣି, ଭାବି, କଥା ମାଧ୍ୟମରେ ମନର ଆବେଗ ପ୍ରକାଶ କରିବା କାର୍ଯ୍ୟ ପ୍ରମସ୍ତିଷ୍କ ନିୟନ୍ତ୍ରଣ କରେ । ପ୍ରମସ୍ତିଷ୍କ ତାପ, ଚାପ, କଷ୍ଟ, ସ୍ପର୍ଶ ପରି ଉଦ୍ଦୀପନାକୁ ଗ୍ରହଣକରି ପ୍ରତିକ୍ରିୟା ପ୍ରକାଶ କରିବାରେ ସାହାଯ୍ୟ କରେ । 
ପଶ୍ଚଅଗ୍ରମସ୍ତିଷ୍କର ଉପରିଭାଗରେ ପିନିଆଲ ଗ୍ରନ୍ଥି ରହିଛି । ଏହାର ନିମ୍ନ ଭାଗରେ ଥିବା ହାଇପୋଥାଲାମସ ଆମ ଶରୀରର ତାପମାତ୍ରା, ହୃତସ୍ପନ୍ଦନ, ରକ୍ତଚାପ, ନିଦ୍ରା, ଭୟ, ରାଗ, ଆନନ୍ଦ  ଇତ୍ୟାଦି ନିୟନ୍ତ୍ରଣ କରେ । 
(ଖ) ମଧ୍ୟମସ୍ତିଷ୍କ :  

ମଧ୍ୟମସ୍ତିଷ୍କ ଦୁଇଯୋଡ଼ା (4 ଗୋଟି) ବର୍ତ୍ତୁଳ ନିଦା ପିଣ୍ଡକୁ ନେଇ ଗଠିତ । 
ଉପର ଦୁଇଟି ପିଣ୍ଡ, ଦୃଷ୍ଟି ସମନ୍ଧୀୟ ପ୍ରତିକ୍ଷେପ (Vision reflex)କୁ ନିୟନ୍ତ୍ରଣ କରୁଥିବା ବେଳେ ନିମ୍ନଭାଗର ଦୁଇଟି ପିଣ୍ଡ ଶରୀରର ଶ୍ରବଣ ସମ୍ବନ୍ଧୀୟ ପ୍ରତିକ୍ଷେପ (Auditory reflex) କୁ ନିୟନ୍ତ୍ରଣ କରେ । 

(ଗ) ପଶ୍ଚମସ୍ତିଷ୍କ :

ପଶ୍ଚମସ୍ତିଷ୍କର ଆଗ ଅଂଶରେ ରହିଛି ଅନୁମସ୍ତିଷ୍କ । ଏହା ମସ୍ତିସ୍କର ଦ୍ଵିତୀୟ ବୃହତ୍ତମ ଭାଗ । ଏହା ଶରୀରର ସନ୍ତୁଳନ ଓ ଭାରସାମ୍ୟ ରକ୍ଷାକରେ । 

ମସ୍ତିସ୍କର ସୁଷୁମ୍ନାଶୀର୍ଷକ ଅନୁମସ୍ତିଷ୍କର ପଛକୁ ରହିଛି । ଏହା ଆମ ଶରୀରର ଶ୍ଵାସକେନ୍ଦ୍ର ଓ ହୃତକେନ୍ଦ୍ର । 
ରକ୍ତଚାପ, ଛିଙ୍କ, କାଶ, ବାନ୍ତି ଓ ଖାଦ୍ୟ ଗିଳିବା ପରି କାର୍ଯ୍ୟକୁ ମଧ୍ୟ ସୁଷୁମ୍ନାଶୀର୍ଷକ ନିୟନ୍ତ୍ରଣ କରେ । 
ସୁଷୁମ୍ନାକାଣ୍ଡ :

ସୁଷୁମ୍ନାଶୀର୍ଷକ କ୍ରମଶଃ ସରୁ ହୋଇ ଖପୁରିର ମହାରନ୍ଧ୍ର (Foramen magnum) ବାଟଦେଇ ବାହାରି ସୁଷୁମ୍ନାକାଣ୍ଡରେ ପରିଣତ ହୋଇଛି । 
ଏହା ଆମ ମେରୁଦଣ୍ଡ ହାଡ଼ ଭିତରେ ସୁରକ୍ଷିତ ହୋଇ ରହିଛି । 
ସୁଷୁମ୍ନାକାଣ୍ଡର ଲମ୍ବ ପ୍ରାୟ 45 ସେ.ମି. । 
ମସ୍ତିଷ୍କପରି ସୁଷୁମ୍ନାକାଣ୍ଡ ମଧ୍ୟ ମେନିଞ୍ଜେସ୍ ଦ୍ଵାରା ଆବୃତ ଏବଂ ଏହାର ଭିତରେ ଓ ବାହାରେ ସେରିବ୍ରୋସ୍ପାଇନାଲ ରସ ପ୍ରବାହିତ । 

ସୁଷୁମ୍ନାକାଣ୍ଡ ଦୁଇଟି କାର୍ଯ୍ୟ କରେ :-
(i) ଶରୀରର ବିଭିନ୍ନ ଭାଗରୁ ସଂଗୃହୀତ ବାର୍ତ୍ତା ମସ୍ତିଷ୍କକୁ ଯୋଗାଏ ଏବଂ ମସ୍ତିଷ୍କରୁ ପ୍ରେରିତ ଆଦେଶ ସୁଷୁମ୍ନାକାଣ୍ଡ ବାଟଦେଇ ଶରୀରର ବିଭିନ୍ନ କାର୍ଯ୍ୟକାରୀ ଅଙ୍ଗ ନିକଟରେ ପହଞ୍ଚେ । 
(ii) ଏହା ଛଡା ମସ୍ତିସ୍କର ଅଗୋଚରରେ ସୁଷୁମ୍ନାକାଣ୍ଡ, ପିନକଣ୍ଟା ଫୋଡିଲେ ହାତ ତୁରନ୍ତ ଘୁଞ୍ଚାଇନେବା, ଆଖି ଆଗକୁ ହଠାତ କୌଣସି ଜିନିଷ ଆସିଲେ ଆଖିପାତ ଆପେ ଆପେ ବନ୍ଦହେବା ପରି ଅନେକ ଅତି ଜରୁରୀ ପ୍ରତିକ୍ଷପ କାର୍ଯ୍ୟ (Reflex action) ସମ୍ପାଦନ କରେ ।