ସ୍ନାୟୁତନ୍ତ୍ର କିପରି କାର୍ଯ୍ୟ କରେ
ଆଖି, ନାକ, କାନ, ଜିଭ ଓ ଚର୍ମ ଆମର ଗ୍ରାହୀଅଙ୍ଗ ।
ଆମ ଗ୍ରାହୀଅଙ୍ଗରେ ସୃଷ୍ଟି ହେଉଥିବା ସ୍ନାୟବିକ ଆବେଗ (Nerve impulse) ସ୍ନାୟୁକୋଷରେ ଥିବା ଡେନଡ୍ରାଇଟ ଗ୍ରହଣ କରିଥାଏ ।
ଡେନଡ୍ରାଇଟ ସଂଗ୍ରହ କରୁଥିବା ସ୍ନାୟବିକ ଆବେଗ (Nerve impulse) ବିଦ୍ୟୁତ ରାସାୟନିକ ପ୍ରକ୍ରିୟା (Electrochemical process) ଦ୍ୱାରା ସ୍ନାୟୁକୋଷର ଆକସନ ମଧ୍ୟଦେଇ ସଞ୍ଚରିତ ହୋଇ ସିନାପସ୍ ନିକଟରେ ପହଞ୍ଚେ ।
ଆକସନ ଶେଷଭାଗରେ ବାର୍ତ୍ତା ପହଞ୍ଚିଲେ ସେଠାରୁ ଏସିଟିଲକୋଳିନ (Acetylcholine) ନାମକ ଏକ ପ୍ରକାର ରାସାୟନିକ ପଦାର୍ଥର କ୍ଷରଣ ହୁଏ ।
ଏହି ଏସିଟିଲକୋଳିନ ଏକ ସ୍ନାୟବିକ ସଞ୍ଚାରକ ପରି କାର୍ଯ୍ୟ କରେ ଏବଂ ପରବର୍ତ୍ତୀ ସ୍ନାୟୁକୋଷର ଡେନଡ୍ରାଇଟରେ ଏକ ନୂଆ ବିଦ୍ୟୁତ ରାସାୟନିକ ଆବେଗ ସୃଷ୍ଟିକରେ ।
ଏହିପରି ଭାବରେ ବାର୍ତ୍ତା ଗୋଟିଏ ସ୍ନାୟୁକୋଷରୁ ଅନ୍ୟ ସ୍ନାୟୁକୋଷକୁ ଦ୍ରୁତଗତିରେ ପ୍ରସାରିତ ହୋଇ ଶେଷରେ ମସ୍ତିଷ୍କଠାରେ ପହଞ୍ଚେ ।