ଜନନର ପ୍ରକାରଭେଦ
ଜନନ ବା ପ୍ରଜନନ ପ୍ରକ୍ରିୟା ଦ୍ୱାରା ଜୀବମାନେ ଠିକ ନିଜପରି ଜୀବ (ଅପତ୍ୟ-Offspring) ସୃଷ୍ଟିକରି ବଂଶବୃଦ୍ଧି ଓ ବଂଶରକ୍ଷା କରିଥାନ୍ତି ।
ବଂଶବୃଦ୍ଧି ମୁଖ୍ୟତଃ ଦୁଇଟି ଉପାୟରେ ହୋଇଥାଏ, ଯଥା- ଅଲିଙ୍ଗୀ ଜନନ (Asexual reproduction) ଏବଂ ଲିଙ୍ଗୀୟ ଜନନ (Sexual reproduction) ।
ତା'ଛଡା ବହୁ ଉଦ୍ଭିଦରେ ଅଙ୍ଗୀୟ ଜନନ (Vegetative reproduction or Propagation) ମାଧ୍ୟମରେ ବଂଶବୃଦ୍ଧି ହୋଇଥାଏ ।
ଅଲିଙ୍ଗୀ ଜନନ :-
ଏହି ପ୍ରକ୍ରିୟାରେ ମାତୃ କୋଷ ବା ଜନକ କୋଷ (Mother cell or parent cell) ବିଭାଜିତ ହେବା ଫଳରେ ଅପତ୍ୟ କୋଷ ବା ଅପତ୍ୟ ଜୀବ ସୃଷ୍ଟି ହୁଏ ।
ଏହା ସମବିଭାଜନ ବା ମାଈଟୋସିସ୍ (Mitosis) କିମ୍ବା ଏମାଇଟୋସିସ୍ (Amitosis) ପ୍ରକ୍ରିୟା ଦ୍ୱାରା ହୋଇଥାଏ ।
ଲିଙ୍ଗୀୟ ଜନନ :-
ଲିଙ୍ଗୀୟ ଜନନ ପ୍ରକ୍ରିୟାରେ ବଂଶବିସ୍ତାର କରୁଥିବା ଜୀବମାନଙ୍କ ଶରୀରରେ ଦୁଇ ପ୍ରକାର କୋଷ ଥାଏ , ଯଥା - (i) କାୟିକ ବା ସୋମୀୟ କୋଷ (Somatic cell) ଏବଂ (ii) ଜାୟକ କୋଷ (Germ cell) ।
(i) କାୟିକ ବା ସୋମୀୟ କୋଷ (Somatic cell)
କାୟିକ କୋଷର ଗୁଣସୂତ୍ର ବା କ୍ରୋମୋଜୋମ (Chromosome) ସଂଖ୍ୟା ଏକ ଯୁଗ୍ମ ସଂଖ୍ୟା (Even number) ଭାବେ ରହିଥାଏ । ଏହି ସଂଖ୍ୟାକୁ ଦ୍ଵିଗୁଣିତ ବା ଡିପ୍ଲଏଡ (Diploid) ସଂଖ୍ୟା କୁହାଯାଏ ଏବଂ ଏହାକୁ '2n' ଭାବେ ସୂଚିତ କରାଯାଇଥାଏ ।କୌଣସି ନିର୍ଦ୍ଧିଷ୍ଟ ଜାତିର ଗୁଣସୂତ୍ର ବା କ୍ରୋମୋଜୋମ (Chromosome) ସଂଖ୍ୟା ସ୍ଥିର, ଅପରିବର୍ତ୍ତନୀୟ ।
ଉଦାହରଣସ୍ୱରୂପ ମଣିଷର ଏହି ସଂଖ୍ୟା 46 ଓ ମକାରେ 20 ଅଟେ ।
ସୋମୀୟ କୋଷର ବିଭାଜନ ଦ୍ୱାରା ଶରୀରର ବୃଦ୍ଧି, ମରାମତି ଆଦି ସମ୍ଭବ ହୋଇଥାଏ ।
ଏହା ମାଈଟୋସିସ୍ (Mitosis) ଦ୍ୱାରା ସମ୍ପନ୍ନ ହୋଇଥାଏ ।
ଏହି ବିଭାଜନରୁ ଜାତ ଅପତ୍ୟ କୋଷର କ୍ରୋମୋଜୋମ ସଂଖ୍ୟା ଅପରିବର୍ତ୍ତିତ ରହିଥାଏ । ଏହା ମାତୃ କୋଷର କ୍ରୋମୋଜୋମ ସଂଖ୍ୟା ସହ ସମାନ ।
(ii) ଜାୟକ କୋଷ (Germ cell)
ଜନନ ଅଙ୍ଗ, ଅର୍ଥାତ ପୁରୁଷର ଶୁକ୍ରାଶୟ ବା ଟେଷ୍ଟିସ୍ ତଥା ସ୍ତ୍ରୀର ଆଦି ଜାୟକ କୋଷ ଏବଂ ସପୁଷ୍ପକ ଉଦ୍ଭିଦର ଫୁଲର କେଶରରେ ଥିବା ପରାଗ ମାତୃ କୋଷ (Pollen mother cell) ତଥା ଫଳିକାରେ ଥିବା ମେଗାସ୍ପୋର ମାତୃ କୋଷ (Megaspore mother cell) ରେ ମଧ୍ୟ 2n ସଂଖ୍ୟକ ଗୁଣସୂତ୍ର ଥାଏ ।
ଏହି କୋଷ ଗୁଡିକରୁ ଯୁଗ୍ମକ ଜନନ ପ୍ରକ୍ରିୟାରେ ଯୁଗ୍ମକ ଜାତ ହୋଇଥାଏ । ଏହା ଅର୍ଦ୍ଧବିଭାଜନ ବା ମିଓସିସ୍ (Meiosis) ଦ୍ୱାରା ହୋଇଥାଏ ।
ଏହି ଯୁଗ୍ମକ (ପୁରୁଷର ଶୁକ୍ରାଣୁ ଓ ସ୍ତ୍ରୀର ଡିମ୍ବାଣୁ ବା ଫୁଲର ପରାଗ ରେଣୁ ଓ ଡିମ୍ବକୋଷ) ରେ ଗୁଣସୂତ୍ର ସଂଖ୍ୟା ଅଧା ହୋଇଥାଏ । ଏହି ସଂଖ୍ୟାକୁ ଏକଗଣିତିକ ବା ହାପ୍ଲଏଡ (Haploid) ସଂଖ୍ୟା କୁହାଯାଏ ଏବଂ ଏହାକୁ 'n' ଭାବେ ସୂଚିତ କରାଯାଇଥାଏ ।
ଉଦାହରଣସ୍ୱରୂପ ମଣିଷର ଏହି ସଂଖ୍ୟା 23 ଓ ମକାରେ 10 ଅଟେ ।
ପୁଂଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ମିଳନ ବା ସମାୟନ (Fertilization) ଫଳରେ ଯୁଗ୍ମଜ (Zygote) ସୃଷ୍ଟି ହୁଏ ।
ଦୁଇପ୍ରକାର ଯୁଗ୍ମକ ଏକାପରି ହୋଇଥିଲେ ସେଗୁଡିକୁ ସମଯୁଗ୍ମକ (Isogametes) ତଥା ସେମାନଙ୍କ ମିଳନକୁ ସମଯୁଗ୍ମନ (Isogamy) କୁହାଯାଏ ।
ଯୁଗ୍ମକ ଦୁଇଟି ଭିନ୍ନ ହୋଇଥିଲେ ସେଗୁଡିକ ଅସମଯୁଗ୍ମନ (Anisogamy or Heterogamy) କୁହାଯାଏ ।