Skip to main content

ମଣିଷର ଶ୍ଵାସକ୍ରିୟା (Human Respiration) || ଦଶମ ଶ୍ରେଣୀ (Class X) || Life Science Notes

 

ମଣିଷର ଶ୍ଵାସକ୍ରିୟା (Human Respiration)

ଏହା ତିନି ପର୍ଯ୍ୟାୟରେ ବିଭକ୍ତ ଯଥା :     
(i) ସଂବାତନ
(ii) ଗ୍ୟାସ୍ ବିନିମୟ
(iii) ଗ୍ୟାସ୍ ପରିବହନ

               

(i) ସଂବାତନ(Ventilation): -          

ସଂବାତନ ଏକ ଦୁଇ ପର୍ଯ୍ୟାୟ ବିଶିଷ୍ଟ ଘଟଣା ଫୁସଫୁସ୍ ମଧ୍ୟକୁ ବାୟୁର ପ୍ରବେଶକୁ ପ୍ରଶ୍ଵାସ (Inspiration) ଓ ଫୁସଫୁସରୁ ବାୟୁର ପ୍ରସ୍ଥାନକୁ ନିଶ୍ଵାସ (Expiration) କୁହାଯାଏ ।                                                                                                                                                                                       ଏହାର ଆଗପଟ ଷ୍ଟରନମ୍ (Sternum) ଦ୍ୱାରା, ପଛପଟ ମେରୁଦଣ୍ଡ ଦ୍ୱାରା, ଦୁଇପଟ ପଞ୍ଜରା ହାଡ ଓ ଅନ୍ତଃ-ପଞ୍ଜରା ମାଂସପେଶୀ (Inter costal muscles) ଦ୍ଵାରା ଏବଂ ତଳପଟ ମଧ୍ୟଚ୍ଛଦା (Diaphragm) ଦ୍ୱାରା ଆବଦ୍ଧ ହୋଇ ରହିଛି ।   

ମଧ୍ୟଚ୍ଛଦା ଏକ ଗମ୍ବୁୁଜ ଆକାରର, ପେଶୀବହୁଳ ପଟ୍ଟ । ଏହା ଆମର ବକ୍ଷଗହ୍ଵର ଏବଂ ଉଦରଗହ୍ଵର (Abdominal cavity) କୁ ପୃଥକ କରୁଛି । 

    




ପ୍ରଶ୍ଵାସ (Inspiration): 

ପ୍ରଶ୍ଵାସ ସମୟରେ ଅନ୍ତଃପଞ୍ଜରା ମାଂସପେଶୀର ସଂକୋଚନ ଓ ଉଦରୀୟ ମାଂସପେଶୀର ଶିଥିଳନ ଘଟେ । 
ଫଳରେ ଗମ୍ବୁୁଜାକାର ମଧ୍ୟଚ୍ଛଦା ସଳଖ ବା ସମତଳ ହୋଇଯାଏ ଓ ପଞ୍ଜରାହାଡ ଆଗକୁ ଉଠିଆସେ ।  





ଏହି ପ୍ରକ୍ରିୟା ସମୟରେ ବକ୍ଷଗହ୍ୱରର ଆୟତନ ପ୍ରାୟ 20% ବୃଦ୍ଧି ପାଏ ଏବଂ ବକ୍ଷଗହ୍ଵର ଓ ଫୁସଫୁସ ମଧ୍ୟସ୍ଥ ବାୟୁଚାପ ବାୟୁମଣ୍ଡଳର ବାୟୁଚାପ ଠାରୁ କମ ହୁଏ । 

ତେଣୁ ଉଚ୍ଚ ବାୟୁଚାପ ଥିବା ବାୟୁମଣ୍ଡଳରୁ ବାୟୁ ନିମ୍ନ ବାୟୁଚାପ ଥିବା ଫୁସଫୁସ ମଧ୍ୟକୁ ପ୍ରବେଶ କରେ । 

ନିଶ୍ଵାସ (Expiration):

ଏହି ସମୟରେ ମଧ୍ୟଚ୍ଛଦା ଓ ଅନ୍ତଃପଞ୍ଜରା ମାଂସପେଶୀର ଶିଥିଳନ ଘଟିବା ସହ ଉଦରୀୟ ମାଂସପେଶୀର ସଂକୋଚନ ଘଟେ । 
ଫଳରେ ପଞ୍ଜରା ହାଡ ପୂର୍ବ ସ୍ଥାନକୁ ଫେରିଆସେ ଏବଂ ମଧ୍ୟଚ୍ଛଦା ପୁଣି ଗମ୍ବୁୁଜାକାର ହୁଏ । 

 


ଏହାଦ୍ୱାରା ବକ୍ଷଗହ୍ୱର ଆକାର ହ୍ରାସପାଏ ଓ ଏହା ଫୁସଫୁସ ଉପରେ ଚାପପକାଏ । 

ତେଣୁ ଫୁସଫୁସ ମଧ୍ୟରୁ ବାୟୁ ବାହାରକୁ ଚାଳିଆସେ । 

(ii) ଗ୍ୟାସ୍ ବିନିମୟ (Gaseous Exchange):

ଫୁସଫୁସ ମଧ୍ୟକୁ ବାୟୁ ପ୍ରବେଶ କଲାପରେ ଏଥି ମଧ୍ୟରେ ଥିବା କୋଟରିକା ଗୁଡିକ ବାୟୁ ଦ୍ୱାରା ପୂର୍ଣ୍ଣ ହୁଏ । 
ସାଧାରଣତଃ ବାହ୍ୟ ବାୟୁରେ ଅମ୍ଳଜାନର ସାନ୍ଦ୍ରତା ଅଧିକ ଓ ଅଙ୍ଗାରକାମ୍ଲର ସାନ୍ଦ୍ରତା କମ । 
ଏହି ସମୟରେ କୋଟରିକାକୁ ଘେରି ରହିଥିବା ରକତାଜାଲକ (Capillary) ମଧ୍ୟରେ ପ୍ରବାହିତ ହେଉଥିବା ରକ୍ତରେ ଅମ୍ଳଜାନର ସାନ୍ଦ୍ରତା କମ ଓ ଅଙ୍ଗାରକାମ୍ଳର ସାନ୍ଦ୍ରତା ଅଧିକ । 
ଏଥିଯୋଗୁଁ କୋଟରିକ ମଧ୍ୟସ୍ଥ ବାୟୁ ଓ ରକ୍ତଜାଲକରେ ପ୍ରବାହିତ ରକ୍ତ ମଧ୍ୟରେ ବିସରଣ ପ୍ରକ୍ରିୟା ଦ୍ୱାରା ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଗ୍ୟାସର ବିନିମୟ ଘଟେ । 
ଅମ୍ଳଜାନ, ଫୁସଫୁସ କୋଟରିକରୁ ରକ୍ତ ମଧ୍ୟକୁ ପ୍ରବେଶ କରେ ଓ ରକ୍ତମଧ୍ୟରୁ ଅଙ୍ଗାରକାମ୍ଳ ଫୁସଫୁସ କୋଟରିକା ମଧ୍ୟକୁ ବାହାରି ଆସେ ।  


(iii) ଗ୍ୟାସ୍ ପରିବହନ (Gas transportation)

ଲୋହିତ ରକ୍ତ କଣିକା (RBC) ରେ ଥିବା ହିମୋଗ୍ଲୋବିନ ଅମ୍ଳଜାନ ଗ୍ରହଣ କରି ଅକ୍ସିହିମୋଗ୍ଲୋବିନରେ ପରିଣତ ହୁଏ ।  
ଅକ୍ସିହିମୋଗ୍ଲୋବିନ ରକ୍ତ ମାଧ୍ୟମରେ ଶରୀରର ପ୍ରତ୍ୟକ କୋଷ ନିକଟରେ ପହଞ୍ଚେ । 
କୋଷ ନିକଟରେ ଅକ୍ସିହିମୋଗ୍ଲୋବିନ ଭାଙ୍ଗି ଅମ୍ଳଜାନ ଓ ହିମୋଗ୍ଲୋବିନ ସୃଷ୍ଟି ହୁଏ । 
ଏହି ଅମ୍ଳଜାନ କୋଷମାନଙ୍କ ମଧ୍ୟକୁ ପରବେଶ କରେ ଏବଂ କୋଷମାନଙ୍କରୁ ନିର୍ଗତ ଅଙ୍ଗାରକାମ୍ଳ ରକ୍ତକୁ ଚାଲିଆସେ । 
ଏହି ଗ୍ୟାସୀୟ ବିନିମୟ ମଧ୍ୟ ବିସରଣ ପ୍ରକ୍ରିୟା ଦ୍ୱାରା ହୋଇଥାଏ ।