Skip to main content

ମଣିଷର ପାକତନ୍ତ୍ର (Digestive System of man) || ପୋଷଣ (NUTRITION) || Class X || Notes


ପୋଷଣ


ମଣିଷର ପାକତନ୍ତ୍ର (Digestive System Of Man):-

ଆମେ ଖାଉଥିବା ଖାଦ୍ୟ ପ୍ରଥମେ ଆମର ପାକତନ୍ତ୍ର ଦ୍ବାରା ସରଲୀକୃତ ହୋଇ ଶୋଷଣ ଉପଯୋଗୀ ଖାଦ୍ୟରେ ପରିଣତ ହୁଏ ଓ ଶେଷରେ ରକ୍ତରେ ମିଶିଥାଏ | ଏହାକୁ ହଜମ ବା ପରିପାକ ହେବା କୁହାଯାଏ | 

ଆମର ପାକତନ୍ତ୍ର ପାକନଳୀ(Alimentary Canal) ଓ ପାକଗ୍ରନ୍ଥିକୁ (Digestive Glands)ନେଇ ଗଠିତ |

A. ପାକନଳୀ (Alimentary Canal): - 

ପାକନଳୀ ପାଟିରୁ ଆରମ୍ଭ ହୋଇ ମଳଦ୍ବାରରେ ଶେଷ ହୋଇଛି | 

ପାକନଳୀ ଦେଖିବାକୁ ଗୋଟିଏ ଲମ୍ଵ ଟ୍ୟୁବ ପରି | ଏହାର କାନ୍ଥ ଚକ୍ରାକୃତି ପେଶୀ (Circular Muscle) ଓ ଅନୁଦୈର୍ଘ୍ୟ ପେଶୀ (Longitudinal Muscle) ଦ୍ବାରା ଗଠିତ |

ଏହି ଦୁଇ ପୀଶୀର ସଂକୋଚନ ଓ ଶିଥିଳନ (Contraction & Relaxation) ଫଳରେ ଖାଦ୍ୟ ଗ୍ରସନୀରୁ ମଳଦ୍ବାର ପର୍ଯ୍ୟନ୍ତ ଯାଇଥାଏ | 

ପାକନଳୀର ଏହି ଚଳନକୁ ପୁରଃସରଣ ବା ପେରିଷ୍ଟାଲସିସ୍ (Peristalsis) କୁହାଯାଏ | 

ଜଣେ ବୟଃପ୍ରାପ୍ତ ବ୍ୟକ୍ତିରେ ଏହାର ଲମ୍ବ ପାଖାପାଖି 6 ରୁ 9 ମିଟର |  

ଗଠନ ଓ କାର୍ଯ୍ୟ ଅନୁସାରେ ଏହାକୁ ବିଭିନ୍ନ ଅଂଶରେ ଭାଗ କରାଯାଇଛି ଯଥା—ପାଟି, ମୁଖଗହ୍ବର, ଗ୍ରସନୀ, ଗ୍ରାସନଳୀ, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର, ମଳାଶଯ ଓ ମଳଦ୍ବାର | 

  (I) ପାଟି ଓ ମୁଖଗହ୍ବର(Mouth & Buccal Cavity):

ପାଟିକୁ ଘେରିରହିଛି ଉପର ଓ ତଳ ଓଠ | ପାଟି ଭିତରକୁ ରହିଛି ମୁଖଗହ୍ବର | ମୁଖଗହ୍ବର ଦନ୍ତ ଓ ଜିଭକୁ ନେଇ ଗଠିତ |                                                                                

ଦାନ୍ତ:-  

      

                                                          
ମଣିଷର ଜୀବନ କାଳ ମଧ୍ୟରେ ଦୁଇଥର ଦନ୍ତ ଉଠେ |ଶିଶୁ ଅବସ୍ଥାରେ କ୍ଷୀରଦାନ୍ତ (Milk Teeth) ଉଠେ | 6 ବର୍ଷ ବେଳକୁ ଉକ୍ତ ଦାନ୍ତ ଝାଡ଼ିବାକୁ ଆରମ୍ଭ କରେ ଓ ଏହା ସ୍ଥାନରେ ସ୍ଥାୟୀଦାନ୍ତ (Parmanent Teeth) ଉଠେ | ବୟଷ୍କ ଲୋକର ପ୍ରତି ମାଢିରେ 16ଟି ଲେଖାଏଁ ମୋଟ 32ଟି ଦାନ୍ତ ଥାଏ | ପ୍ରତି ମାଢିରେ 4ଟି କର୍ତ୍ତନ ଦାନ୍ତ (Incisors), 2ଟି ଛେଦନ ବା ଶ୍ବାନ ଦାନ୍ତ (Canines), 4ଟି ଚର୍ବଣ ଦାନ୍ତ (Premolars) ଓ 6ଟି ପେଷଣ ଦାନ୍ତ (Molars) ରହିଅଛି                                                                                                                                                                      

 ଜିଭ: - 

ଖଟା, ମିଠା, ପିତା, ଲୁଣିଆ, ରାଗ ଆଦି ସ୍ବାଦ ବାରିବା ପାଇଁ ଜିଭରେ ସ୍ବାଦମୁକୁଳ (Teste Buds) ରହିଛି | ଖାଦ୍ୟକୁ ଦାନ୍ତ ନିକଟରେ ପହଂଚାଇବା ସହିତ କଥା କହିବାରେ ମଧ୍ୟ ଜିଭ ସହାୟତା କରେ |   

(II) ଗ୍ରସନୀ ଓ ଗ୍ରାସନଳୀ (Pharynx & Oesophagus): -

                                                                                                     

ନାସାପଥ ଓ ମୁଖଗହ୍ବର ମିଶି ଗ୍ରସନୀ ତିଆରି ହୋଇଛି | ଏହା ଉଭୟ ଖାଦ୍ୟ ଓ ଶ୍ବାସବାୟୁ ଯିବା ପାଇଁ ଏକ ସାଧାରଣ ପଥ | 

ଏହାର ଶେଷମୁଣ୍ଡରେ ରହିଛି ଦୁଇଟି ଦ୍ବାର | ଖାଦ୍ୟନଳୀକୁ ଖୋଲିଥିବା ଦ୍ବାରକୁ ଗଲେଟ୍ (Gullet) ଓ ଶ୍ବାସନଳୀକୁ ଖୋଲିଥିବା ଦ୍ବାରକୁ ଗ୍ଲଟିସ୍ (Glottis) କୁହାଯାଏ | 

ଶ୍ବାସନଳୀର ଦ୍ବାରରେ ଅଧିଜିହ୍ବା ବା ଏପିଗ୍ଲଟିସ୍ (Epiglottis) ନାମକ ଏକ ତରୁଣାସ୍ଥିର ପ୍ଲେଟ ରହିଛି | ଏହା ଖାଦ୍ୟ ଗିଲିବା ସମୟରେ ଶ୍ବାସନଳୀର ଦ୍ବାରକୁ ବନ୍ଦ କରିଦିଏ ଫଳରେ ଖାଦ୍ୟ କେବଳ ଖାଦ୍ୟନଳୀ ଭିତରକୁ ପ୍ରବେଶ କରିଥାଏ |                                                                                                                       ଗ୍ରାସନଳୀ ବେକ ମଧ୍ୟ ଦେଇ ତଳ ଆଡକୁ ଗତି କରି ମଧ୍ୟଛଦା (Diaphragm)କୁ ଭେଦ କରି ପାକସ୍ଥଲୀକୁ ଖୋଲିଛି |   

   (III) ପାକସ୍ଥଳୀ (Stomach): -

ଉଦର ଗହ୍ବର ବାମପଟେ ପାକସ୍ଥଳୀ ରହିଛି | ଏହାର ଉପର ଭାଗ ଚଉଡା ଓ ତଳ ଅଂଶ କମ୍ ଓସାରିଆ | ଉପର ଅଂଶ ହୃତପିଣ୍ଡ ନିକଟରେ ଥିବାରୁ ଏହି ଭାଗକୁ କାର୍ଡିଆକ ଷ୍ଟୋମାକ୍ (Cardiac Stomach) ଓ ତଳଭାଗକୁ ପାଇଲୋରିକ ଷ୍ଟୋମାକ୍ (Pyloric Stomach) କୁହାଯାଏ |                               

ପାଇଲୋରିକ ଷ୍ଟୋମାକ୍ ଶେଷରେ ଥିବା ମୁଦ୍ରିକା ଆକାରର ମାଂସପେଶୀକୁ ପାଇଲୋରିକ ସ୍ପିନଟର (Pyloric Sphinter) କୁହାଯାଏ|ଏହାର ସଂକୋଚନ ଓ ଉନ୍ମୋଚନ ଫଳରେ ପାକସ୍ଥଲୀରୁ ଅର୍ଦ୍ଧଜୀର୍ଣ ଖାଦ୍ୟ ଅଳ୍ପଅଳ୍ପ ପରିମାଣରେ କ୍ଷୁଦ୍ରାନ୍ତ୍ର ମଧ୍ୟକୁ ପ୍ରବେଶ କରେ |


(IV) କ୍ଷୁଦ୍ରାନ୍ତ୍ର ଓ ବୃହଦନ୍ତ୍ର (Small Intestine & Large Intestine): -

କ୍ଷୁଦ୍ରାନ୍ତ୍ର ପାକସ୍ଥଲୀଠାରୁ ବୃହଦନ୍ତ୍ର ପର୍ଯ୍ୟନ୍ତ ଲମ୍ବିଛି | ଏହା ଗ୍ରହଣୀ (Duodenum), ଜେଜୁନମ୍ (Jejunum) ଓ ଇଲିୟମ୍ (Illeum) କୁ ନେଇ ଗଠିତ | ବୃହଦନ୍ତ୍ର ଖାଦ୍ୟନଳୀର ଶେଷ ଅଂଶ ଏହା ସିକମ୍ (Caecum), କୋଲନ୍ (Colon) ଓ ମଳାଶୟ (Rectum) କୁ ନେଇ ଗଠିତ | କ୍ଷୁଦ୍ରାନ୍ତ୍ରର ଶେଷ ଅଂଶ ଇଲିୟମ୍ ଓ ବୃହଦନ୍ତ୍ରର ଆରମ୍ଭ ସିକମର ସଂଯୋଗ ସ୍ଥଳରେ ଭରମିଫର୍ମ ଆପେନଡିକ୍ସ (Vermiform Appendix) ନାମକ ଏକ ଅବଶେଷାଙ୍ଗ ରହିଛି | 

B.ପାକଗ୍ରନ୍ଥି (Digestive Glands): -

ଖାଦ୍ୟକୁ ସରଳୀକୃତ କରିବା ପାଇଁ ପାକନଳୀ ମଧ୍ୟରେ ଅନେକ ଗୁଡିଏ ପାକଗ୍ରନ୍ଥି ଅଛି ଯଥା -                                                          

(I) ଲାଳଗ୍ରନ୍ଥି (Salivary Gland): - ମୁଖଗହ୍ବରରେ 3 ଯୋଡା ଲାଳଗ୍ରନ୍ଥି ରହିଛି | ଏଥିରୁ ଲାଳ କ୍ଷରିତ ହୁଏ | ଲାଳରେ ଟାୟାଲିନ୍ (ptyalin) ନାମକ ଏକ ଏନଜାଇମ୍ ରହିଛ |                                                                                                                    
(II) ଜଠର ଗ୍ରନ୍ଥି (Gastric Gland): -  ଏହି ଗ୍ରନ୍ଥିରୁ କ୍ଷରିତ ହେଉଥିବା ରସକୁ ପାଚକ ରସ (Gastric Juice) କୁହାଯାଏ | ଏଥିରେ ଲବନାମ୍ଲ (HCl) ସହିତ ପେପସିନ୍ (Pepsin) ଓ ଲାଇପେଜ୍ (Lipase) ଏନଜାଇମ୍ ରହିଛି |                                                                                                    
 (III) ଯକୃତ (Liver):- ମଣିଷ ଶରୀରରେ ଥିବା ଗ୍ରନ୍ଥି ମଧ୍ୟରେ ଏହା ସର୍ବବୃହତ୍ତ | ଏଥିରୁ କ୍ଷରିତ ପିତ୍ତ (Bile) ନଳୀ ଦ୍ବାରା ଗ୍ରହଣୀ ମଧ୍ୟକୁ ପ୍ରବେଶ କରିଥାଏ |        

(IV) ଅଗ୍ନ୍ୟାଶୟ (Pancreas):- ଏହା ଏକ ମିଶ୍ରିତ ଗ୍ରନ୍ଥି (Mixed Gland) | ଏଥିରୁ ଉଭୟ ଏନଜାଇମ୍ ଓ ହରମୋନ୍ କ୍ଷରିତ ହୁଏ | ଅଗ୍ନ୍ୟାଶୟ ରସ (Pancreatic Juice)ରେ ଆମାଇଲେଜ୍ (Amylase), ଲାଇପେଜ୍ (Lipase), ଏବଂ ପ୍ରୋଟିଏଜ୍ (Protease) ରହିଥାଏ | ଏ ସମସ୍ତ ଏନଜାଇମ ଗ୍ରହଣୀ ମଧ୍ୟରେ ଖାଦ୍ୟ ସହିତ ମିଶେ                                                                                                                                                         

 (V)ଆନ୍ତ୍ରିକ ଗ୍ରନ୍ଥି:- କ୍ଷୁଦ୍ରାନ୍ତ୍ରରେ ଥିବା ଆନ୍ତ୍ରିକ ଗ୍ରନ୍ଥିଗୁଡ଼ିକରୁ ଆନ୍ତ୍ରିକ ରସ (Intestinal Juice) କ୍ଷରିତ ହୁଏ |